ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜଳ ସମ୍ପଦ ବିଭାଗ ପରିଦର୍ଶନ — ୨୦୨୯-୩୦ ସୁଦ୍ଧା ୧୫ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ଲକ୍ଷ୍ୟ
ଜଳ ପରିଚାଳନାରେ ସ୍ମାର୍ଟ ଓ ସୁଦକ୍ଷ ପ୍ରଣାଳୀ ଗଢ଼ି ତୋଳିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ — କେନାଲ ଶେଷ ମୁଣ୍ଡ ପର୍ଯ୍ୟନ୍ତ ଜଳ ପହଞ୍ଚାଇବାରେ ଜୋର

PNS Bureau :-ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ପୂର୍ବାହ୍ନ ୧୦ଟା ସମୟରେ ରାଜୀବ ଭବନସ୍ଥିତ ଜଳ ସମ୍ପଦ ବିଭାଗ ପରିଦର୍ଶନ କରି ବିଭାଗର ବିଭିନ୍ନ କାର୍ଯ୍ୟାବଳୀ ସମ୍ପର୍କରେ ସବିସ୍ତୃତ ଅଧ୍ୟୟନ କରିଛନ୍ତି।
ସେ ରାଜ୍ୟ ଜଳ ବିଜ୍ଞାନ ତଥ୍ୟ କେନ୍ଦ୍ର (State Hydrological Data Center) ପରିଦର୍ଶନ କରି ରିଅଲ୍-ଟାଇମ୍ ଜଳ ପରିଚାଳନା ପ୍ରଣାଳୀ ସମ୍ପର୍କରେ ଅବଗତ ହେଲେ। ପରେ ବିଭାଗର ଅନ୍ୟାନ୍ୟ ଉପବିଭାଗ ଦେଖି ଅଧିକାରୀ, ଯନ୍ତ୍ରୀ ଓ କର୍ମଚାରୀମାନଙ୍କ ସହିତ ଆଲୋଚନା କଲେ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୨୦୨୯-୩୦ ସୁଦ୍ଧା ରାଜ୍ୟରେ ୧୫ ଲକ୍ଷ ହେକ୍ଟର ଚାଷ ଜମିକୁ ଜଳସେଚନ କରାଯିବ ଏବଂ କେନାଲର ଶେଷ ମୁଣ୍ଡ ପର୍ଯ୍ୟନ୍ତ ଜଳ ପହଞ୍ଚାଇବା ସୁନିଶ୍ଚିତ ହେବ। ସେ ଆହୁରି ଜଣାଇଥିଲେ ଯେ ବିଭାଗକୁ ସ୍ମାର୍ଟ ଓ ସୁଦକ୍ଷ କାର୍ଯ୍ୟାଳୟ ରୂପେ ଗଢ଼ି ତୋଳାଯିବ।
ଏହି ପରିଦର୍ଶନ ସମୟରେ ଉନ୍ନୟନ କମିଶନର ଓ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ଚନ୍ଦ୍ରଶେଖର ପାଢୀ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।(PNS)




