ନୂଆପଡ଼ା ନିର୍ବାଚନମଣ୍ଡଳୀରେ ୧୦୮ ସମ୍ବେଦନଶୀଳ ବୁଥ୍ ଚିହ୍ନଟ — ନିରପେକ୍ଷ ନିର୍ବାଚନ ପାଇଁ ବିଜେପି ଦାବି

PNS Bureau:- ଗଣତନ୍ତ୍ର ରାଷ୍ଟ୍ରରେ ନିର୍ବାଚନ ପ୍ରକ୍ରିୟାକୁ ନିରପେକ୍ଷ ଓ ଅବାଧ ଭାବରେ ପରିଚାଳନା କରିବା ଦାବି କରି ବିଜେପି ଆଜି ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛି। ଦଳ ପକ୍ଷରୁ ଜଣାଯାଇଛି ଯେ, ୨୦୨୪ ସାଧାରଣ ନିର୍ବାଚନ ଅନୁଭବ ଅନୁସାରେ ନୂଆପଡ଼ା ନିର୍ବାଚନମଣ୍ଡଳୀର ୩୫୮ଟି ବୁଥ୍ ମଧ୍ୟରୁ ୧୦୮ଟି ବୁଥ୍କୁ ସମ୍ବେଦନଶୀଳ ବୋଲି ଚିହ୍ନଟ କରାଯାଇଛି।

ଏହି ସମ୍ବେଦନଶୀଳ ବୁଥ୍ଗୁଡ଼ିକରେ ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ଭୋଟଗ୍ରହଣ ସୁନିଶ୍ଚିତ କରିବା ପାଇଁ ୱେବ କ୍ୟାମେରା ଲଗାଇବା ଏବଂ ଆବଶ୍ୟକତାନୁସାରେ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ କରିବାକୁ ବିଜେପି ଦାବି କରିଛି।
ଡ. ଯତୀନ ମହାନ୍ତିଙ୍କ ନେତୃତ୍ୱରେ ଗଠିତ ପ୍ରତିନିଧି ଦଳରେ ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ, ରାଜେନ୍ଦ୍ର ପଣ୍ଡା, ଲିଗାଲ ସେଲ୍ ରାଜ୍ୟ ସଂଯୋଜକ ଜୟନ୍ତ ଜେନା ଓ ପ୍ରବକ୍ତା ତୃପ୍ତିମୟୀ ମକଦ୍ଦମ ଉପସ୍ଥିତ ଥିଲେ।
ଦଳ ପକ୍ଷରୁ ଦାବିପତ୍ର ଗ୍ରହଣ କରି ରାଜ୍ୟ ନିର୍ବାଚନ ଅଧିକାରୀ ଆଶ୍ୱାସନ ଦେଇଛନ୍ତି ଯେ, ସମ୍ବେଦନଶୀଳ ବୁଥ୍ଗୁଡ଼ିକରେ ନିର୍ବାଚନ ଶାନ୍ତିପୂର୍ଣ୍ଣ ଓ ନିରପେକ୍ଷ ଭାବେ ହେବାକୁ ସମସ୍ତ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରାଯିବ।(PNS)




