ଘୂର୍ଣ୍ଣିଝଡ଼ “MONTHA” ପାଇଁ ରେଳ ପ୍ରସ୍ତୁତି ଉପରେ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସମୀକ୍ଷା
ପୂର୍ବତଟ ଏବଂ ଦକ୍ଷିଣ କେନ୍ଦ୍ରୀୟ ରେଳ ଅଞ୍ଚଳ ସହିତ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯାତ୍ରୀ ସୁରକ୍ଷା ଓ ବିପର୍ଯ୍ୟୟ ପ୍ରସ୍ତୁତି ନିରୀକ୍ଷଣ

ଭୁବନେଶ୍ୱର : ମାନ୍ୟବର ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ପୂର୍ବତଟ ରେଳପଥ (ECoR) ଏବଂ ଦକ୍ଷିଣ କେନ୍ଦ୍ରୀୟ ରେଳପଥ (SCR)ର ବରିଷ୍ଠ ଅଧିକାରୀଙ୍କ ସହିତ ଆସନ୍ନ ଘୂର୍ଣ୍ଣିଝଡ଼ “MONTHA” ପ୍ରସ୍ତୁତି ସମ୍ପର୍କରେ ଏକ ସମୀକ୍ଷା ବୈଠକ କରିଛନ୍ତି।

ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ଏହି ବୈଠକରେ ମନ୍ତ୍ରୀ ମହୋଦୟ ଯାତ୍ରୀ ସୁରକ୍ଷା, ଟ୍ରେନ୍ ନିୟନ୍ତ୍ରଣ, ପୁନରୁଦ୍ଧାର ଯୋଜନା ଏବଂ ସ୍ଥାନୀୟ ପ୍ରଶାସନ ସହିତ ସମନ୍ୱୟ ସୁନିଶ୍ଚିତ କରିବାପାଇଁ ଗ୍ରହଣ କରାଯାଉଥିବା ବିଭିନ୍ନ ପଦକ୍ଷେପ ସମୀକ୍ଷା କରିଥିଲେ।
ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ, ପ୍ରମୁଖ ବିଭାଗ ମୁଖ୍ୟମାନେ ଏବଂ ବିଭାଗୀୟ ରେଳ ପରିଚାଳକମାନେ ସେହି ବୈଠକରେ ଅଂଶଗ୍ରହଣ କରିଥିଲେ। ବାତ୍ୟା ପ୍ରଭାବିତ ହେବାକୁ ସମ୍ଭାବ୍ୟ ୱାଲଟେୟାର ଏବଂ ଖୋର୍ଦ୍ଧା ରୋଡ୍ ଡିଭିଜନରେ ପୂର୍ବରୁ ଆରମ୍ଭ କରାଯାଇଥିବା ସତର୍କତାମୂଳକ ପଦକ୍ଷେପ ବିଷୟରେ ସେମାନେ ମନ୍ତ୍ରୀଙ୍କୁ ସୂଚିତ କରିଥିଲେ।
ମାନ୍ୟବର ମନ୍ତ୍ରୀ ଯାତ୍ରୀ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେବା, ଯୋଗାଯୋଗ ବ୍ୟବସ୍ଥା ନିରବଚ୍ଛିନ୍ନ ରଖିବା ଏବଂ ବିପର୍ଯ୍ୟୟ ମୁକାବିଲା ଦଳଗୁଡ଼ିକୁ ପୂର୍ବରୁ ସଜାଗ ରଖିବା ପାଇଁ ନିର୍ଦ୍ଦେଶ ଜାରି କରିଥିଲେ।
ସେ ସମସ୍ତ ରେଳ ଜୋନଗୁଡ଼ିକୁ ଉଚ୍ଚ ସତର୍କତା ଅବଲମ୍ବନ କରିବାକୁ ଓ ଘୂର୍ଣ୍ଣିଝଡ଼ ପ୍ରଭାବ ଥମିଲାପରେ ଟ୍ରେନ୍ ସେବାକୁ ଶୀଘ୍ର ପୁନଃସ୍ଥାପନ କରିବା ପାଇଁ ସକ୍ରିୟ ପଦକ୍ଷେପ ନେବାକୁ ଆହ୍ୱାନ କରିଥିଲେ।(PNS)




