ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ

PNS Bureau :-ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଆଜି ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ରାଜ୍ୟର ବିତ୍ତୀୟ ପ୍ରଦର୍ଶନ, ବଜେଟ୍ ବ୍ୟୟ, ରାଜସ୍ୱ ଆଦାୟ ଓ ଭିଜନ ୨୦୩୬ ସଂପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା ।

ଅର୍ଥ ବିଭାଗ ତରଫରୁ ଉପସ୍ଥାପନା ଅନୁସାରେ ଅକ୍ଟୋବର ୨୦୨୫ ସୁଦ୍ଧା ରାଜ୍ୟର ବଜେଟ୍ ବ୍ୟୟ ମୋଟ ୩୮% ହୋଇଛି ଏବଂ ଗତ ବର୍ଷ ତୁଳନାରେ ୧୩% ବୃଦ୍ଧି ଦେଖାଗଲା । ରାଜସ୍ୱ ଆଦାୟରେ ମଧ୍ୟ ୭.୨% ବୃଦ୍ଧି ହୋଇଛି ।
ବୈଠକରେ ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ଶ୍ରୀ ଦେଓରଂଜନ କୁମାର ସିଂ, ଶ୍ରୀ ସୁରେନ୍ଦ୍ର କୁମାର, ଶ୍ରୀ ହେମନ୍ତ ଶର୍ମା ସହିତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ ଓ ଅଧିକାରୀମାନେ ଉପସ୍ଥିତ ଥିଲେ ।
ଭାରତୀୟ ମହିଳା କ୍ରିକେଟ ଟିମକୁ ଅଭିନନ୍ଦନ
ବୈଠକର ପ୍ରାରମ୍ଭରେ ମୁଖ୍ୟ ଶାସନ ସଚିବ ଏବଂ ସଚିବମାନେ ଆଇସିସି ମହିଳା ବିଶ୍ୱକପ୍ ୨୦୨୫ ରେ ବିଜୟୀ ଭାରତୀୟ ମହିଳା କ୍ରିକେଟ ଟିମକୁ ଅଭିନନ୍ଦନ ଜ୍ଞାପନ କରିଥିଲେ । ସେ କହିଥିଲେ ଯେ ମହିଳାମାନେ ସବୁ କ୍ଷେତ୍ରରେ ସାହସ ଓ ଦକ୍ଷତାର ସହିତ ଆଗକୁ ବଢ଼ୁଛନ୍ତି ଏବଂ ସରକାରୀ ସ୍ତରରେ ସେମାନଙ୍କୁ ପ୍ରୋତ୍ସାହିତ କରିବା ଆବଶ୍ୟକ ।
‘ବିକଶିତ ଓଡ଼ିଶା ୨୦୩୬’ ଉପରେ ଗୁରୁତ୍ୱ
‘ବିକଶିତ ଓଡ଼ିଶା ୨୦୩୬’ ଭିଜନ ଡକ୍ୟୁମେଣ୍ଟ ଅନୁସାରେ ପ୍ରମୁଖ ପ୍ରକଳ୍ପ ଓ କେପିଆଇ ନିର୍ଦ୍ଧାରଣ ଉପରେ ବିଭାଗମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଉନ୍ନୟନ କମିଶନର ଶ୍ରୀମତୀ ଗର୍ଗ ଅଧିକାରୀମାନଙ୍କୁ ଲକ୍ଷ୍ୟ ଓ କାର୍ଯ୍ୟସୂଚୀକୁ ଅନୁଧ୍ୟାନ କରି କାର୍ଯ୍ୟକାରୀ କରିବାକୁ ପରାମର୍ଶ ଦେଇଥିଲେ ।
ମୁଖ୍ୟ ଶାସନ ସଚିବ ଆହୁଜା “ଆତ୍ମନିର୍ଭରତା” କ୍ଷେତ୍ରରେ ଓଡ଼ିଶାର ଭୂମିକା ଉପରେ ଗୁରୁତ୍ୱ ଦେଇ, ଶିଳ୍ପ କ୍ଲଷ୍ଟର ସ୍ଥାପନ ଓ ଇକୋସିଷ୍ଟମ ବିକାଶ ମାଧ୍ୟମରେ ସଂସ୍ଥାଗତ ସୁଦୃଢୀକରଣର ଆବଶ୍ୟକତା ଉଲ୍ଲେଖ କରିଥିଲେ ।
📸 ସ୍ତ୍ରୋତ: ସରକାରୀ ବିଜ୍ଞପ୍ତି / (PNS)




