ମୁଖ୍ୟମନ୍ତ୍ରୀଙ୍କ ଦୃଢ ବାର୍ତ୍ତା — ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତା, ସ୍ୱଚ୍ଛ ଓ ସତ୍ୟନିଷ୍ଠ ଶାସନ ଆମ ଲକ୍ଷ୍ୟ
ଦୁର୍ନୀତି ନିବାରଣ ଆମ ସାମୁହିକ ଦାୟିତ୍ୱ — ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର: ରାଜ୍ୟ ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ଏହି କାର୍ଯ୍ୟକ୍ରମ କେବଳ ପ୍ରତିକାତ୍ମକ ନୁହେଁ, ଦୁର୍ନୀତିଖୋର ଅଧିକାରୀ ଓ ଦୁର୍ନୀତି ଗ୍ରସ୍ତ ବ୍ୟବସ୍ଥାକୁ ଶୂନ୍ୟ ସହନଶୀଳ ଆଭାସ ଦେବା ଏହାର ପ୍ରମୁଖ ଉଦ୍ଦେଶ୍ୟ।
ଲୋକସେବା ଭବନ କନ୍ଭେନ୍ସନ ସେଣ୍ଟରରେ ଆୟୋଜିତ ଅନୁଷ୍ଠାନରେ ସେ କହିଥିଲେ, “ଦୁର୍ନୀତି ଆମ ଶାସନ ବ୍ୟବସ୍ଥାର ମୂଳ ଆଧାରକୁ ଦୁର୍ବଳ କରେ ଏବଂ ଜନସାଧାରଣଙ୍କର ବିଶ୍ୱାସକୁ ଅପହରଣ କରେ। ତେଣୁ ଦୁର୍ନୀତି ବିରୋଧରେ ଲଢିବା କେବଳ କର୍ତ୍ତବ୍ୟ ନୁହେଁ, ଏହା ଆମ ସମସ୍ତଙ୍କ ନୈତିକ ଦାୟିତ୍ୱ।”
ସେ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଓ ଦୃଢ ଇଚ୍ଛାଶକ୍ତିରେ, ଦେଶ ଦୁର୍ନୀତି ନିବାରଣରେ ଆଧୁନିକ ଟେକ୍ନୋଲୋଜି ଓ JAM (ଜନଧନ–ଆଧାର–ମୋବାଇଲ) ବ୍ୟବସ୍ଥା ଦ୍ୱାରା ଗଭୀର ପରିବର୍ତ୍ତନ ଆଣିଛି।
ମୁଖ୍ୟମନ୍ତ୍ରୀ ଅଧିକ କହିଥିଲେ ଯେ, ରାଜ୍ୟ ଦୁର୍ନୀତି ନିବାରଣ ବିଭାଗକୁ ସ୍ୱାଧୀନ ଓ ସୁଦୃଢ କରିବାରେ ସରକାର ସଫଳ ହୋଇଛି। ଗତ ୧୬ ମାସରେ ବିଭାଗ ଦୁର୍ନୀତି ବିରୋଧରେ ଦେଶରେ ଅଗ୍ରଣୀ ଅବସ୍ଥା ଅର୍ଜନ କରିଛି। ଦୋଷୀ ସାବ୍ୟସ୍ତ ହେବା ପରେ ୩୦ ଜଣ କର୍ମଚାରୀଙ୍କୁ ବହିଷ୍କାର ଏବଂ ୬୮ ଜଣ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନ୍ସନ ବନ୍ଦ କରାଯାଇଛି।
ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ସଚ୍ଚୋଟତା ଓ ସାଧୁତାର ଶପଥ ପାଠ କରାଇଥିଲେ। ସେ ଶ୍ରେଷ୍ଠ ତଦନ୍ତ ଓ ଶାସନ ଅଧିକାରୀଙ୍କୁ ସମ୍ମାନିତ କରିଥିଲେ।
ଏହି ଅବସରରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଥିଲେ, ମୁଖ୍ୟମନ୍ତ୍ରୀଙ୍କ ମୂଳ ଲକ୍ଷ୍ୟ ହେଉଛି ଶୂନ୍ୟ ସହନଶୀଳତା ସହିତ ଦୁର୍ନୀତି ନିବାରଣ, ଏବଂ ଏଥିପାଇଁ ସମସ୍ତଙ୍କର ପ୍ରତିବଦ୍ଧତା ଆବଶ୍ୟକ।
କାର୍ଯ୍ୟକ୍ରମରେ ଦୁର୍ନୀତି ନିବାରଣ ବିଭାଗର ମହାନିର୍ଦ୍ଦେଶକ ଯଶବନ୍ତ କୁମାର ଜେଠୱା ଓ ଅତିରିକ୍ତ ମହାନିର୍ଦ୍ଦେଶକ ଅସୀତ କୁମାର ପାଣିଗ୍ରାହୀ ଉପସ୍ଥିତ ଥିଲେ। ସେମାନେ ରାଜ୍ୟବ୍ୟାପୀ ସଚେତନତା ସପ୍ତାହର କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ।




