ରାଜ୍ୟରେ ଜାତୀୟ ରାଜପଥ ପ୍ରକଳ୍ପ ଗତି ନେଇ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା
୧୬ଟି ରାଜପଥ ପ୍ରକଳ୍ପ ଅଗ୍ରଗତି ଯାଞ୍ଚ; ଜମି ଓ ପରିବେଶ ଅନୁମୋଦନ ସମସ୍ୟା ଦୂରକରଣକୁ ନିର୍ଦେଶ

PNS Bureau :-ରାଜ୍ୟରେ ଚାଲିଥିବା ୧୬ଟି ଜାତୀୟ ରାଜପଥ ପ୍ରକଳ୍ପର ନିର୍ମାଣ ଅଗ୍ରଗତି ନେଇ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆଜି ଏକ ସମୀକ୍ଷା ବୈଠକ ଆୟୋଜନ କରିଥିଲେ। ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ବିଭିନ୍ନ ପ୍ରକଳ୍ପର ଟିକିନିକ ଓ ପ୍ରାଶାସନିକ ସ୍ଥିତି ସମୀକ୍ଷା କରି ଅଧିକାରୀମାନଙ୍କୁ ତ୍ୱରିତ ଗତିରେ କାର୍ଯ୍ୟ ଆଗେଇ ନେବା ପାଇଁ ନିର୍ଦେଶ ଦେଇଥିଲେ।

ସେ ଜଣାଇଥିଲେ ଯେ ଜମି ଅଧିଗ୍ରହଣ, ଜଙ୍ଗଲ ଜମି ଅନୁମୋଦନ ଓ ପରିବେଶ ମଞ୍ଜୁରୀ ଭଳି ସମସ୍ୟାଗୁଡ଼ିକ ଶୀଘ୍ର ଦୂର କରିବା ପାଇଁ ବିଭାଗୀୟ ସମନ୍ୱୟ ଆବଶ୍ୟକ। ଏହି ପରିପ୍ରେକ୍ଷ୍ୟରେ ସେ ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ, ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ସ୍ଵତନ୍ତ୍ର ସଚିବ ଶ୍ରୀ ଲିଙ୍ଗରାଜ ଓତା ଓ ଅନ୍ୟାନ୍ୟ ଅଧିକାରୀଙ୍କ ସହ ମନ୍ତବ୍ୟ ବିନିମୟ କରିଥିଲେ।

ବୈଠକରେ ପୂର୍ତ୍ତ ବିଭାଗର ଇଞ୍ଜିନିୟର ଇନ୍ ଚିଫ ଓ ସ୍ଵତନ୍ତ୍ର ଶାସନ ସଚିବ ଶ୍ରୀ ଲକ୍ଷ୍ମୀକାନ୍ତ ପାଢ଼ୀ, ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ଅତିରିକ୍ତ ସଚିବ ଶ୍ରୀମତୀ ମଧୁସ୍ମିତା ସାହୁ, ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ଆଞ୍ଚଳିକ ଅଧିକାରୀ ଶ୍ରୀ ବିରେନ୍ଦ୍ର ସିଂହ ଓ ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟର ଆଞ୍ଚଳିକ ଅଧିକାରୀ ଶ୍ରୀ ସୁନିଲ କୁମାର ପ୍ରମୁଖ ଉପସ୍ଥିତ ଥିଲେ।
ଶ୍ରୀ ହରିଚନ୍ଦନ କହିଥିଲେ ଯେ ଜାତୀୟ ରାଜପଥ ପ୍ରକଳ୍ପଗୁଡ଼ିକ ରାଜ୍ୟର ସଡକ ଅବକାଠାକୁ ଅଗ୍ରଗାମୀ କରିବା ସହ ଅର୍ଥନୈତିକ ଗତିକୁ ବେଗବାନ କରିବ। ସେ ବିଭାଗମାନଙ୍କୁ ସମନ୍ୱିତ ଭାବେ କାର୍ଯ୍ୟ କରି ଯଥାସମୟରେ ପ୍ରକଳ୍ପ ସମାପ୍ତ କରିବାକୁ ଆହ୍ୱାନ କରିଥିଲେ। (PNS)




