ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ‘ଏକତା ଦୌଡ଼’ର ଉଦଘାଟନ — ଭାଇଚାରା ଓ ଦେଶପ୍ରେମ ହେଉଛି ଆମର ଶକ୍ତି
ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜୟନ୍ତୀରେ ରାଷ୍ଟ୍ରୀୟ ଏକତା ଦିବସ ପାଳନ — କଳିଙ୍ଗ ଷ୍ଟାଡିଅମରୁ ଆରମ୍ଭ ହେଲା ‘ରନ୍ ଫର ୟୁନିଟି’

ଭୁବନେଶ୍ୱର: ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ଓ ରାଷ୍ଟ୍ରୀୟ ଏକତା ଦିବସ ଅବସରରେ, କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ଆୟୋଜିତ ‘ଏକତା ଦୌଡ଼’ର ଉଦଘାଟନ ଆଜି କଳିଙ୍ଗ ଷ୍ଟାଡିଅମ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କରିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, “ଏକତା, ଭାଇଚାରା ଓ ଦେଶପ୍ରେମ ହେଉଛି ବିକଶିତ ଭାରତର ମୂଳ ଶକ୍ତି। ଭିନ୍ନତାରେ ଏକତା ହେଉଛି ଭାରତର ଆତ୍ମା।” ସେ ସର୍ଦ୍ଦାର ପଟେଲଙ୍କ ଅବଦାନକୁ ସ୍ମରଣ କରି କହିଥିଲେ ଯେ, ଯେପରି ସେ ଶତାଧିକ ରାଜ୍ୟକୁ ଏକତା ସୂତ୍ରରେ ବାନ୍ଧି ଅଖଣ୍ଡ ଭାରତ ଗଢିଥିଲେ, ସେପରି ଆମେ ମଧ୍ୟ ସଂଘବଦ୍ଧ ଭାବେ କାମ କରି ଖୁବ ଶୀଘ୍ର ବିକଶିତ ଭାରତ ଗଢିପାରିବା।
ସେ ଉଲ୍ଲେଖ କରିଥିଲେ ଯେ ୨୦୧୪ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ “ରନ୍ ଫର ୟୁନିଟି” ଆରମ୍ଭ କରିଥିଲେ ଓ ୨୦୧୮ ମସିହାରେ ଗୁଜରାଟର କେଭାଡିଆରେ ୧୮୨ ମିଟର ଉଚ୍ଚ ‘Statue of Unity’ ଅନାବରଣ ହୋଇଥିଲା, ଯାହା ବିଶ୍ୱର ସର୍ବବୃହତ୍ ପ୍ରତିମା ଭାବେ ଭାରତୀୟ ଗୌରବର ପ୍ରତୀକ।
ଏହି ଅବସରରେ କ୍ରୀଡା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ସ୍ୱାଗତ ଭାଷଣ ଦେଇଥିଲେ ଓ ଶାସନ ସଚିବ ଶ୍ରୀ ସଚିନ ରାମଚନ୍ଦ୍ର ଜାଦବ ଧନ୍ୟବାଦ ଜଣାଇଥିଲେ। ଗଣଦୌଡ଼ କଳିଙ୍ଗ ଷ୍ଟାଡିଅମରୁ ଆରମ୍ଭ ହୋଇ ପାୱାର ହାଉସ ଛକ ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା, ଯେଉଁଠାରେ ବରିଷ୍ଠ ଅଧିକାରୀ, ଖେଳାଳି, ଛାତ୍ରଛାତ୍ରୀ ଓ ସାହସ୍ରାଧିକ ନାଗରିକ ଅଂଶଗ୍ରହଣ କରିଥିଲେ।(PNS)




