ଦୁର୍ନୀତି ରୋକିବା ପାଇଁ ବ୍ୟକ୍ତିଗତ ସଂକଳ୍ପ ଆବଶ୍ୟକ — ଡ. ଲଳିତ ଦାସ

PNS Bureau:- ଦୁର୍ନୀତିକୁ କେବଳ ସରକାରୀ ମାନଦଣ୍ଡ ଦ୍ୱାରା ରୋକାଯାଇପାରିବ ନାହିଁ, ବ୍ୟକ୍ତିଗତ ସ୍ତରରେ ଏହାର ବିରୋଧରେ ସ୍ୱର ଉଠିଲେ ମାତ୍ର ଦୁର୍ନୀତିମୁକ୍ତ ସମାଜ ଗଠନ ସମ୍ଭବ ବୋଲି ବରିଷ୍ଠ ଆରକ୍ଷୀ ଅଧିକାରୀ ଏବଂ ଓଏଏସ୍ସି ଅଧ୍ୟକ୍ଷ ଡ. ଲଳିତ ଦାସ କହିଛନ୍ତି।
ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ଆୟୋଜିତ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ସେ ଅନୁଭବ ଆଧାରିତ ଉଦାହରଣ ଦେଇ ଦୁର୍ନୀତି ବିରୋଧୀ ସଚେତନତାର ଆହ୍ୱାନ ଜଣାଇଥିଲେ। ପ୍ରତିଷ୍ଠାନ ଅଧ୍ୟକ୍ଷା ପ୍ରଫେସର ମାନସୀ ଗୋସ୍ୱାମୀ ସ୍ୱାଗତ କଥା ରଖି ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜାତୀୟ ଏକତାରେ ଅବଦାନ ସ୍ମରଣ କରିଥିଲେ।

ଅବସରରେ ଛାତ୍ରଛାତ୍ରୀମାନେ “ଦୁର୍ନୀତି ମୁକ୍ତ ଭାରତ – ଆମର ସହଭାଗୀ ଦାୟିତ୍ୱ” ବିଷୟରେ ଅଭିବ୍ୟକ୍ତି ରଖିଥିଲେ। ପରେ ଅଧ୍ୟାପକ ଓ କର୍ମଚାରୀମାନଙ୍କ ଅଭିନୟରେ ‘ପ୍ରତିଫଳନ’ ନାଟକ ମଞ୍ଚସ୍ଥ ହୋଇଥିଲା, ଯାହାର ନିର୍ଦ୍ଦେଶନା ଡ. ଅନୁପ ପରିଡା ଦେଇଥିଲେ।
ନାଟକ ଦ୍ୱାରା କର୍ତ୍ତବ୍ୟନିଷ୍ଠା ଓ ସାଧୁତାର ସନ୍ଦେଶ ଦିଆଯାଇଥିଲା।
ପ୍ରଫେସର ହୃଷୀକେଶ ସେନାପତି, ପ୍ରଫେସର ରୀତାଞ୍ଜଳି ଦାଶ ଓ ଅନ୍ୟ ଶିକ୍ଷକ-କର୍ମଚାରୀ ଉପସ୍ଥିତ ହୋଇ କଳାକାରମାନଙ୍କୁ ଅଭିନନ୍ଦନ କରିଥିଲେ। (PNS)




